ଯାଜପୁର ଦଶରଥପୁର ଥାନା ଅଧିନ ଚମ୍ପେଇପାଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ହାତରେ ଧାରୁଆ ଟାଙ୍ଗିଆ ଧରି ଗାଁ ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଖବର ପାଇ ଘଟଣା ସ୍ଥଳରେ ପହଂଚିଥିବା ଦଶରଥପୁର ଥାନା ପୁଲିସକୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ପୁଲିସ ବ୍ୟବହାର କରୁଥିବା ଗାଡିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଥିଲା। ବହୁ ଉଦ୍ୟମ ପରେ ପୁଲିସ ସତର୍କତାର ସହିତଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଦଶରଥପୁର ଥାନା ଚମ୍ପେଇପାଳ ଗ୍ରାମର ବଦ୍ରିନାରାୟଣ ବେହୁରିଆଙ୍କ ପୁଅ ସୁଜିତ କୁମାର ବେହୁରିଆ ଓରଫ କୁନିପୁଅ(୩୮) ନିଶାସକ୍ତ ଅବସ୍ଥାରେ ହାତରେ ଧାରୁଆ ଟାଙ୍ଗିଆ ଧରି ଗାଁ ରାସ୍ତାରେ ଯାହାକୁ ଦେଖୁଥିଲା ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ଗାଁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଦୀର୍ଘ ୨ଘଣ୍ଟା ପର୍ଯ୍ୟନ୍ତ ଗାଁରେ ସ୍ଥିତି ଅଣାୟତ୍ତ ହୋଇପଡିବା ଦେଖି ତୁରନ୍ତ ପୁଲିସ ବିଭାଗର ସୁରକ୍ଷା ସମ୍ପର୍କିତ ୧୧୨ ଜରୁରୀକାଳୀନ ନମ୍ବରକୁ ସୂଚନା ଦିଆଯିବା ପରେ ଦଶରଥପୁର ଥାନାର ଏସଆଇ ସୁଧାଂଶୁ ଶେଖର ପାତ୍ର ସଦଳବଳେ ଚମ୍ପେଇପାଳରେ ପହଁଚିବା ପରେ କୁନିପୁଅ ପୁଲିସ ଗାଡି ଉପରେ ଆକ୍ରମଣ କରିଥିଲା।
